କୁମାର ପୂର୍ଣ୍ଣିମା କେବେ? ଅକ୍ଟୋବର ୨୫ ନା ୨୬, ତାରିଖକୁ ନେଇ ଦ୍ୱନ୍ଦ୍ୱ

ଏଥର କୁମାର ପୂର୍ଣ୍ଣିମା ପାଳନକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ଅକ୍ଟୋବର ୨୫ ନା ୨୬ ତାରିଖରେ ପାଳନ ହେବ କୁମାର ପୂର୍ଣ୍ଣିମା? କେଉଁ ଦିନ କୁମାରୀମାନେ ଆଞ୍ଜୁଳି ଟେକିବେ, କେବେ ହେବ ଚନ୍ଦ୍ରପୂଜା ଏବଂ କାର୍ତ୍ତିକ ବ୍ରତ କେଉଁ ଦିନ ଆରମ୍ଭ ହେବ? ଏହି ପ୍ରଶ୍ନକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢ଼ିଛି।

ଶ୍ରୀମନ୍ଦିର ଓ ମୁକ୍ତିମଣ୍ଡପ ଅନୁମୋଦିତ ପାଞ୍ଜିରେ ଅକ୍ଟୋବର ୨୫ ତାରିଖରେ କୁମାର ଉତ୍ସବ, ଚନ୍ଦ୍ରପୂଜା ଓ ଗଜଲକ୍ଷ୍ମୀ ପୂଜା ଉଲ୍ଲେଖ ରହିଥିବା ବେଳେ ଅକ୍ଟୋବର ୨୬ ତାରିଖରେ କୁମାର ପୂର୍ଣ୍ଣିମା ଓ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଦର୍ଶାଯାଇଛି। ଏହି ଦୁଇଟି ତାରିଖକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଏ ସମ୍ପର୍କରେ ବରିଷ୍ଠ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଛନ୍ତି ଯେ, ଅକ୍ଟୋବର ୨୫ ତାରିଖ ପୂର୍ବାହ୍ଣ ୧୧ଟା ୫୬ ମିନିଟ୍‌ ପରଠାରୁ ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି। ତେଣୁ ଏହି ଦିନ ପ୍ରତ୍ୟୁଷରୁ କୁମାରୀମାନେ ପାରମ୍ପରିକ ରୀତିନୀତି ଅନୁସାରେ ଆଞ୍ଜୁଳି ଟେକିପାରିବେ। ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ର ଉଦୟ ହେଉଥିବାରୁ ଚନ୍ଦ୍ରପୂଜା ମଧ୍ୟ ଏହି ଦିନ କରାଯାଇପାରିବ। ଗଜଲକ୍ଷ୍ମୀ ପୂଜା ମଧ୍ୟ ଅକ୍ଟୋବର ୨୫ ତାରିଖରେ ପାଳନ କରାଯିବ ବୋଲି ସେ କହିଛନ୍ତି।

ଜ୍ୟୋତିର୍ବିଦଙ୍କ ମତରେ, ପ୍ରଦୋଷ ଓ ମଧ୍ୟରାତ୍ରି ଯୋଗକୁ ଆଧାର କରି କୁମାର ପୂର୍ଣ୍ଣିମା ବା କୋଜାଗର ବ୍ରତ ପାଳନ କରାଯାଏ। ପୂର୍ଣ୍ଣିମା ତିଥିରେ ଚନ୍ଦ୍ର ଉଦୟ ହେଉଥିବା ଦିନ ଚନ୍ଦ୍ରପୂଜା ଓ ଉପବାସର ବିଶେଷ ମହତ୍ତ୍ୱ ରହିଛି।

ଅନ୍ୟପଟେ, ଶ୍ରୀମନ୍ଦିରରେ ଉଦୟ ପର୍ବର ପରମ୍ପରା ଅନୁସାରେ ଅକ୍ଟୋବର ୨୬ ତାରିଖରେ କୁମାର ପୂର୍ଣ୍ଣିମା ପାଳନ କରାଯିବ। ସେହି ଦିନ ସକାଳ ୯ଟା ୪୧ ମିନିଟ୍‌ ପର୍ଯ୍ୟନ୍ତ ପୂର୍ଣ୍ଣିମା ତିଥି ରହିବ। ତେଣୁ ପାଞ୍ଜିରେ ତିଥି ଓ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ପାଳନ ଦିନରେ ପାର୍ଥକ୍ୟ ଦେଖାଦେଇଛି।

କାର୍ତ୍ତିକ ବ୍ରତ ପାଳନ କରିବାକୁ ଥିବା ଶ୍ରଦ୍ଧାଳୁମାନେ ଅକ୍ଟୋବର ୨୫ କିମ୍ବା ୨୬ ତାରିଖରେ ପୂର୍ଣ୍ଣିମା ତିଥି ରହୁଥିବା ସମୟ ମଧ୍ୟରେ ସଂକଳ୍ପ କରି ବ୍ରତ ଆରମ୍ଭ କରିପାରିବେ ବୋଲି ହରିଶଙ୍କର ମିଶ୍ର ସୂଚନା ଦେଇଛନ୍ତି।

ତେବେ କୁମାର ପୂର୍ଣ୍ଣିମା ପାଳନର ତାରିଖ ନିର୍ଦ୍ଧାରଣ କରିବା ସମୟରେ ସ୍ଥାନୀୟ ପରମ୍ପରା, ପାଞ୍ଜି ଓ ପୂଜାବିଧିକୁ ଗୁରୁତ୍ୱ ଦେବା ଆବଶ୍ୟକ। ଶ୍ରଦ୍ଧାଳୁମାନେ ନିଜ ଅଞ୍ଚଳର ପୁରୋହିତ କିମ୍ବା ମନ୍ଦିର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସରଣ କରିପାରିବେ।